ସ୍ୱିଜରଲାଣ୍ଡରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶନିବାର ସ୍ୱିଜରଲାଣ୍ଡର ଭିଲେନିଉରେ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି। ବ୍ୟାବସାୟିକ ଏବଂ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ନେଇ ରାଷ୍ଟ୍ରପତି କୋବିନ୍ଦ ୫ ଦିନିଆ ସ୍ୱିଜରଲାଣ୍ଡ ଗସ୍ତରେ ଅଛନ୍ତି। ୧୯୩୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ଭିଲେନିଉ ଗସ୍ତର ସ୍ମାରକୀ ସ୍ୱରୂପ ଏହି ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।
ଏହା ଜାତିର ପିତାଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ସ୍ମରଣ କରୁଥିବା କୋବିନ୍ଦ କହିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଅହିଂସା, ଶାନ୍ତି ଓ ଏକତା ସୂତ୍ରରେ ପ୍ରକୃତି ସହ ଜୀବନ ଯାପନ ଭଳି ମହାତ୍ମା ଗାନ୍ଧୀଙ୍କ ମହନୀୟ ଦର୍ଶନ ତତ୍ୱର ଆଜି ବି ପ୍ରାସଙ୍ଗିକତା ରହିଛି। ସେ ମହାତ୍ମା ଗାନ୍ଧୀଙ୍କ ଗସ୍ତକୁ ମାନ୍ୟତା ଦେଇଥିବାରୁ ଭିଲେନିଉ ମେୟରଙ୍କ ପ୍ରଶଂସା କରିଛନ୍ତି।

ଅନ୍ୟ ପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଗସ୍ତ କାଳରେ ଭାରତରେ ପୁଞ୍ଜିନିବେଶ ସୁଯୋଗ ସଂକ୍ରାନ୍ତରେ ଜାଣିବା ପାଇଁ ଇଣ୍ଡିଆ ଇନ୍‍ଭେଷ୍ଟମେଣ୍ଟ ଗ୍ରୀଡ୍‍ ପୋର୍ଟାଲ୍‍କୁ ଦେଖିବା ସକାଶେ ସ୍ୱିଜରଲ୍ୟାଣ୍ଡର କମ୍ପାନୀଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି। ସେ ସ୍ୱିଜରଲ୍ୟାଣ୍ଡ ଓ ଭାରତ ବ୍ୟବସାୟ ଚାମ୍ବର୍‍ ଦ୍ୱାରା ଆୟୋଜିତ ଭାରତ-ସ୍ୱିଜରଲ୍ୟାଣ୍ଡ ବ୍ୟବସାୟ ଗୋଲଟେବୁଲ ବୈଠକରେ ଏହା କହିଛନ୍ତି। କୋବିନ୍ଦ କହିଛନ୍ତି, ସ୍ୱିଜରଲ୍ୟାଣ୍ଡରେ ଅତ୍ୟାଧୁନିକ କାରିଗରି ବିଦ୍ୟା ରହିଛି ଏବଂ ଭାରତରେ ବିଶ୍ୱସ୍ତରୀୟ ମାନବ ସମ୍ବଳ ରହିଛି। ଏଣୁ ଉଭୟ ଦେଶ ପୁଞ୍ଜିନିବେଶ, କାରିଗରୀ ବିଦ୍ୟା, ବିଜ୍ଞାନ ଓ ଦକ୍ଷତାକୁ ମିଳିମିଶି ଉପଯୋଗ କଲେ ଆପୋଷ ସ୍ୱାର୍ଥ ସାଧନ ହୋଇପାରିବ।

ରାଷ୍ଟ୍ରପତି କହିଛନ୍ତି, ଫାର୍ମାସିଉଟିକାଲ୍‍, ଚିକିତ୍ସା ସେବା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ସୌରଶକ୍ତି, ଅଟୋମୋବାଇଲ୍‍, ମହାକାଶ ଓ ଜୈବ କାରିଗରି ବିଦ୍ୟା କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ମଉରେର୍‍ଙ୍କ ସହ ବର୍ଣ୍ଣରେ ଆଲୋଚନା ସସମାୟାରେ ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ବୃଦ୍ଧି ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଉଭୟ ଦେଶ ନିରନ୍ତରତା ଓ ଆପୋଷ ଅଭିବୃଦ୍ଧି ହାସଲ କରିପାରିବେ ବୋଲି ସେ କହିଛନ୍ତି।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: The Samaja Odia

Leave a Reply

Your email address will not be published. Required fields are marked *