ଶରଦ ପୱାରଙ୍କ ଅଭିଯୋଗ,ମିଛ କହି ବିଭ୍ରାନ୍ତ କରୁଛନ୍ତି ଅଜିତ

ମୁମ୍ବଇ: ବିଧାୟକ ଦଳ ନେତା ପଦରୁ ମୋ​‌ତେ ବିଦା କରାଗଲେ ମଧ୍ୟ ମୁଁ ଏନ୍‌ସିପିରେ ରହିଛି ଏବଂ ଶରଦ ପୱାର ମୋ ନେତା। ଏନ୍‌ସିପି ସମର୍ଥନରେ ବିଜେପି ମହାରାଷ୍ଟ୍ରବାସୀଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏକ ସ୍ଥିର ସରକାର ଦେଇପାରିବ ବୋଲି ବିଦ୍ରୋହୀ ଏନ୍‌ସିପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମନ୍ତବ୍ୟକୁ ଏନ୍‌ସିପି ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ଉପରେ ମତ ଦେଇ ଶରଦ ପୱାର କହିଛନ୍ତି ଯେ ଅଜିତ୍‌ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି।
ତାଙ୍କ ମନ୍ତବ୍ୟରେ କୌଣସି ସତ୍ୟତା ନାହିଁ। ବିଜେପି ସହିତ ଏନ୍‌ସିପି ମେଣ୍ଟ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଶରଦ ସ୍ପଷ୍ଟ କରିଛନ୍ତି। ଅଜିତଙ୍କ ମନ୍ତବ୍ୟ ନେଇ ବ୍ୟସ୍ତ ନ ହୋଇ ଧୈର୍ଯ୍ୟ ଧରିବାକୁ ସେ ସମର୍ଥକଙ୍କୁ ପରାମର୍ଶ ଦେଇଛନ୍ତି। ଅଜିତ ପୱାର ଶନିବାର ସକାଳେ ତାଙ୍କ ସହିତ ଏନ୍‌ସିପିର ୫୪ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଥିଲେ; କିନ୍ତୁ ସନ୍ଧ୍ୟାରେ ସେମାନଙ୍କ ମଧ୍ୟରୁ ୫୦ଜଣ ଶରଦଙ୍କ ବୈଠକରେ ଯୋଗ ଦେଇଥିଲେ। ରବିବାର ଅଜିତ କହିଥିଲେ ଯେ ‘ମୁଁ ଏନ୍‌ସିପିରେ ରହିଛି ଓ ସବୁଦିନ ପାଇଁ ରହିବି। ‘ସାହେବ’ (ଶରଦ) ମୋର ନେତା।’ ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜଗତ ପ୍ରକାଶ ନଡ୍ଡା, ନୀତିନ୍‌ ଗଡ଼କରି, ନିର୍ମଳା ସୀତାରମଣ, ରାଜନାଥ ସିଂହ, ସ୍ମୃତି ଇରାନୀଙ୍କ ସହ ବିଜେପିର ୨୦ ନେତାଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥିଲେ ଫଡ଼ନବିସ୍‌ଙ୍କ ପତ୍ନୀ ଅମୃତା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାମଦାସ ଅଠୱାଲେ, ଅନୁରାଗ ଠାକୁର, ସୁରେଶ ପ୍ରଭୁ, ଗଜେନ୍ଦ୍ର ସିଂହ ଶେଖାୱତ, ସଦାନନ୍ଦ ଗୌଡ଼ା, ମୁକ୍ତାର ଆବାସ ନକ୍‌ଭି, ପୀୟୂଷ ଗୋୟଲ, ସାଂସଦ ରବି କିଷାନ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ପ୍ରମୁଖ।
ଅପରପକ୍ଷରେ କିଛି ଏନ୍‌ସିପି ବିଧାୟକ କହିଛନ୍ତି ଯେ ଅଜିତ ସେମାନଙ୍କୁ ଫୋନ୍‌ କରି ମନ୍ତ୍ରିପଦର ଲୋଭ ଦେଖାଉଛନ୍ତି। ଏହି ପରିପ୍ରେକ୍ଷୀରେ ଶରଦ ପୱାର ଓ ଉଦ୍ଧବ ଠାକ୍‌ରେ ରୁଦ୍ଧଦ୍ବାର ବୈଠକରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଆଦିତ୍ୟ ଠାକ୍‌ରେ, ସଞ୍ଜୟ ରାଉତ, ଏକନାଥ ସିନ୍ଧେ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ନିଜ ଦଳର ବିଧାୟକଙ୍କୁ ଏକଜୁଟ ରହିବା ପାଇଁ ପରାମର୍ଶ ଦେଇଛନ୍ତି।
କଂଗ୍ରେସ ନେତା ଅହମ୍ମଦ ପଟେଲ ନିଜ ଦଳର ବିଧାୟକଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହାଙ୍କ ପକ୍ଷରୁ ଆସିଥିବା ଆହ୍ବାନର ମିଳିତ ମୁକାବିଲା କରିବାକୁ ଆହ୍ବାନ ଦେଇଛନ୍ତି। ସାମ୍ପ୍ରତିକ ଆହ୍ବାନ କେବଳ ରାଜ୍ୟପାଳ ବା ବିଜେପି ମୁଖ୍ୟମନ୍ତ୍ରୀଙ୍କଠାରୁ ନୁହେଁ; କେନ୍ଦ୍ର ସରକାରଠାରୁ ମଧ୍ୟ ବୋଲି ସେ କହିଛନ୍ତି। ଆସ୍ଥା ଭୋଟ୍‌ରେ ଏକଜୁଟ ହୋଇ ବିଜୟ ହାସଲ କରିବାକୁ ସେ ବିଧାୟକଙ୍କୁ କହିଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ, କେ.ସି ବେଣୁଗୋପାଳ ପ୍ରମୁଖ ମଧ୍ୟ ବିଧାୟକଙ୍କୁ ଭେଟିଛନ୍ତି। କଂଗ୍ରେସର ୪୪ ବିଧାୟକ ସମ୍ପ୍ରତି ମୁମ୍ବଇର ଜେଡବ୍ଲ୍ୟୁ ମାରିୟଟ୍‌ ହୋଟେଲରେ ଅବସ୍ଥାନ କରୁଛନ୍ତି। ଅପରପକ୍ଷରେ ଏନ୍‌ସିପି ଏହାର ବିଧାୟକମାନଙ୍କୁ ମୁମ୍ବଇର ରେନାଁସା ହୋଟେଲକୁ ସ୍ଥାନାନ୍ତର କରିଛି।
ସେହିଭଳି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସାମ୍ପ୍ରତିକ ସମସ୍ୟା ପାଇଁ ଶିବସେନାକୁ ଦୋଷ ଦିଆଯାଇଛି। ଶିବସେନା ମେଣ୍ଟ ଧର୍ମ ପ୍ରତି କୁଠାରାଘାତ କରିଛି ଓ ବିଜେପିକୁ ଧୋକା ଦେଇଛି ବୋଲି ବିଜେପି ବିଧାୟକମାନେ କହିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଫଡ଼ନବିସ୍‌ଙ୍କୁ ଶୁଭେଚ୍ଛା ଜଣାଇ ଏକ ସଂକଳ୍ପ ଗୃହୀତ ହୋଇଛି। ଏଥିସହିତ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ସହ ପାଞ୍ଚ ବର୍ଷ ସରକାରରେ ରହିବା ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ ଦିଆଯାଇଛି। ଏହି ବୈଠକରେ ଫଡ଼ନବିସ୍‌ଙ୍କ ସହିତ ସଭାପତି ଚନ୍ଦ୍ରକାନ୍ତ ପାଟିଲ, ନାରାୟଣ ରାଣେ ପ୍ରମୁଖ ଉପସ୍ଥିତ ଥିଲେ। ‘ଅପରେସନ୍‌ ମହାରାଷ୍ଟ୍ର’ରେ ଅଜିତ ପୱାରଙ୍କୁ ଜଣେ ପ୍ରମୁଖ ଖେଳାଳି ଭାବେ ସେମାନେ ବର୍ଣ୍ଣନା କରିଥିଲେ।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: The Samaja Odia

Leave a Reply

Your email address will not be published. Required fields are marked *