ଆଉ କାମ ଦେଉନି ମୋଦ-ଶାହ ମ୍ୟାଜିକ! ବିଜେପି ପଞ୍ଝାରୁ ଖସୁଛି ଗୋଟିଏ ପରେ ଗୋଟିଏ ରାଜ୍ୟ

ନୂଆଦିଲ୍ଲୀ: ଆଉ କାମ ଦେଉନି କି ଅମିତ ଶାହଙ୍କ ଗୋଟି ଚାଳନା? କମିଗଲାଣି କି ମୋଦି ହାୱା? ଭାରତୀୟ ରାଜନୀତିକର ଚାଣକ୍ୟ କୁହାଯାଉଥିବା ଶାହ କାହିଁକି ବାରମ୍ବାର ଫେଲ ମାରୁଛନ୍ତି? ୨୦୧୮ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟ ଗେରୁଆ ରଙ୍ଗରେ ରଙ୍ଗାୟତ ହୋଇଥିଲା। ହେଲେ ଏହାପରେ ସେହି ବର୍ଷ ମାର୍ଚ୍ଚ ମାସରୁ ଦଳ ହାତରୁ ଗୋଟିଏ ପରେ ରାଜ୍ୟ ଖସିବାରେ ଲାଗିଛି।

ଅବଶ୍ୟ ୨୦୧୯ ଲୋକସଭାରେ ବିଜେପି ନିଜର ପତିଆରା ଦେଖାଇଥିଲା। ହେଲେ ବିଧାନସଭା ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କଲେ ମଧ୍ୟ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରିପାରୁନାହିଁ। ଏବେ ମହାରାଷ୍ଟ୍ର ବି ବିଜେପି ହାତରୁ ଚାଲି ଯାଇଛି।

୨୦୧୮ ମାର୍ଚ୍ଚ ପୂର୍ବରୁ ବିଜେପିର ରଣନୀତି ବେଶ କାମ କରୁଥିଲା। କୁହାଯାଉଥିଲା ଶାହଙ୍କ ଭଳି ଚାଣକ୍ୟଙ୍କ ପାଇଁ ଆଜି ଦଳ ଏତେ ସଫଳତା ପାଇଛି।
ମାର୍ଚ୍ଚ ମାସ ପୂର୍ବରୁ ଦେଶର ୭୬% ଅଞ୍ଚଳରେ ବିଜେପିର ଦବଦବା ରହିଥିଲା। ଏହି ୭୬% ଅଞ୍ଚଳରେ ରହୁଥିବା ୬୯% ଲୋକ ବିଜେପି ସହ ଥିଲେ। ତେବେ ବିଜେପି ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ବଡ଼ ରାଜ୍ୟରେ ମାତ ଖାଇବା ପରେ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଇ ଚାଲିଛି।

ମଧ୍ୟପ୍ରଦେଶ ଓ ରାଜସ୍ଥାନ ସହ ବିଜେପି ଛତିଗଡ଼ରେ ଶାସନ କରିବା କ୍ଷମତା ହରାଇଥିଲା। ମହାରାଷ୍ଟ୍ର ଦଳ ହାତରୁ ଗଲା ପରେ ଗୋଟିଏ ସମୟରେ ୭୬% ଅଞ୍ଚଳରେ ହୁକୁମାତି କରୁଥିବା ବିଜେପି ଏବେ ୩୭.୪%କୁ ଖସି ଆସିଛି। ସେହିପରି ବିଜେପି ନିୟନ୍ତ୍ରଣରେ ଏବେ ୪୫.୬% ଲୋକ ରହିଛନ୍ତି।

ଗୋଟିଏ ସମୟରେ ବିଜେପି ୭୬% ଅଞ୍ଚଳରେ ରାଜ କରୁଥିବା ବେଳେ ଅନ୍ୟାନ୍ୟ ଦଳଙ୍କ ପାଖରେ ମାତ୍ର ୨୪% ଅଞ୍ଚଳ ରହିଥିଲା। ଏହି ୭୬% ଅଞ୍ଚଳ ମଧ୍ୟରୁ କିଛି ସ୍ଥାନରେ ବିଜେପି ଏକାକୀ କ୍ଷମତା ଦଖଲ କରିଥିବା ବେଳେ ଆଉ କିଛି ରାଜ୍ୟରେ ସହଯୋଗୀଙ୍କ ସହ ମିଶି ସରକାର ଗଠନ କରିଥିଲା। ବିଜେପି ପାଖରେ ୬୯.୧% ଲୋକ ଓ ଅନ୍ୟାନ୍ୟ ଦଳ ପାଖରେ ୩୧.୯% ଜନସମର୍ଥନ ରହିଥିଲା।

୨୦୧୯ ନଭେମ୍ବର ସୁଦ୍ଧା ଏହି ସ୍ଥିତିରେ ଅନେକ ତଫାତ ଆସିଛି। ଅଧାରୁ ଅଧିକ ସ୍ଥାନରେ ବିଜେପି ମାତ ଖାଇଛି। ବିଜେପି ଏବେ ୩୭.୪% ଅଞ୍ଚଳରେ ଶାସନ କରୁଥିବା ବେଳେ ଅନ୍ୟାନ୍ୟ ଦଳ ୬୨.୬% ଅଞ୍ଚଳରେ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଛନ୍ତି। ବିଜେପି ପାଖରେ ୪୫.୬% ଲୋକ ଥିବା ବେଳେ ଅନ୍ୟାନ୍ୟ ଦଳ ପାଖରେ ୫୪.୪% ଲୋକ ରହିଛନ୍ତି।

୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ବିଜେପି ୨୧ଟି ରାଜ୍ୟରେ କ୍ଷମତାରେ ଥିଲା। ବର୍ତ୍ତମାନ ବିଜେପି କର୍ଣ୍ଣାଟକା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଝାରଖଣ୍ଡ, ଗୁଜରାଟ, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାରେ ଏକାକୀ ସରକାର ଗଠନ କରିବାର କ୍ଷମତା ରଖିଛି। ତଥାପି ଦଳ ବିଭିନ୍ନ ଛୋଟଛୋଟ ଦଳଙ୍କ ସହ ମିଶି ସରକାର ଗଠନ କରିଛି।

ଆସାମରେ ଦଳ ସରକାରରେ ଥିଲେ ହେଁ ଏଜିପି ଓ ବିପିଏଫ୍ ସହ ମେଣ୍ଟ କରିଛି। ବିହାରରେ ଦଳ ଜେଡିୟୁ ଓ ଏଲଜେପି ସହ ମିଶି କ୍ଷମତା ଦଖଲ କରିଛି।

ଗୋଆରେ ମଧ୍ୟ ବିଜେପି ଜୁନିୟର ଦଳ ଥିଲା। ହେଲେ ବିଭିନ୍ନ ସ୍ୱାଧୀନ ବିଧାୟକ ଦଳ ସହ ମିଶି ଯିବାରୁ ଦଳ ଏଠାରେ ମ୍ୟାଜିକ ନମ୍ବର ହାସଲ କରିଛି। ମଣିପୁରରେ ବିଜେପି, ଏନ୍‌ପିପି ଓ ଏଲଜେପି, ମେଘାଳୟରେ ଏନପିପି, ୟୁଡିପି, ପିଡିଏଫ୍‌, ଏଚ୍‌ଏସପିଡିପି,ଏନସିପି ଓ ବିଜେପି, ମିଜୋରାମରେ ଏମଏନଏଫ ଓ ବିଜେପି, ନାଗାଲ୍ୟାଣ୍ଡରେ ଏନଡିପିପି ଓ ବିଜେପି, ସକ୍କିମରେ ବିଜେପି ଓ ଏସକେଏମ ମିଶି ସରକାର ଗଠନ କରିଛନ୍ତି।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: Odisha Reporter

Leave a Reply

Your email address will not be published. Required fields are marked *