ପଢିବା ପାଇଁ ଆଖୁରସ ବିକୁଛନ୍ତି ବିଟେକ୍ ଛାତ୍ର ସଂଗ୍ରାମ

୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଲକ୍ଷ୍ୟ ହାସଲ ପାଇଁ ଅର୍ଥ କେବେ ପ୍ରତିବନ୍ଧକ ନୁହେଁ, ଏଥିପାଇଁ ଲୋଡା ନିଷ୍ଠା, ଚେଷ୍ଠା ଓ ଆନ୍ତରିକ ପ୍ରୟାସ । ଏମିତି ଏକ ଘଟଣାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଯୁବକଙ୍କ କ୍ଷେତ୍ରରେ । ଏହି ଯୁବକ ଜଣକ ହେଲେ ସଂଗ୍ରାମ ମଲ୍ଲିକ (୨୧) । ଏହି ଜିଲାର ଧାମନଗର ବ୍ଲକ୍ ଅସୁରାଳି ପଞ୍ଚାୟତସ୍ଥିତ ମଲ୍ଲିକ ପାଟଣା ଗ୍ରାମର ଦୈତାରୀ ମଲ୍ଲିକଙ୍କ ପୁଅ ସେ । ଯିଏ ଆଜି ସବୁକୁ ପଛରେ ପକାଇ ନିଜର ଉଚ୍ଚଶିକ୍ଷା ପାଇଁ ରାସ୍ତା ପାଶ୍ୱର୍ରେ ଆଖୁରସ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ସଂଗ୍ରାମଙ୍କ ପାଠପଢା ନିଶା ଆଗରେ ହାର ମାନିଛି ସାମ୍ପ୍ରତିକ ଯୁବ ଛାତ୍ରଙ୍କ ଚାକଚିକ ଜୀବନ ଶୈଳୀ । ବିଟେକ୍ ଛାତ୍ର ସଂଗ୍ରାମଙ୍କ ପରିବାରର ଆର୍ଥିକ ଅବସ୍ଥା ଆଦୌ ଭଲ ନୁହଁ ।
ଘରବାଡିକୁ ଛାଡିଦେଲେ ସମ୍ବଳ ବୋଲି କିଛିନାହିଁ । ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାର୍କ ରଖି ମାଟ୍ରିକ୍ ପାଶ କରିବା ପରେ ସେ ଇଂଜିନିୟରିଂ ପଢିବା ପାଇଁ ମନ ବଳାଇଥିଲେ । ହେଲେ ଆର୍ଥିକ ଅବସ୍ଥା ଏଥିରେ ବାଧକ ସାଜିଥିଲା । କିନ୍ତୁ ତାଙ୍କର ମନବଳ ହାର ମାନିନଥିଲା ।

ବାପାଙ୍କୁ ବୁଝାଇ ଗାଁ ଲୋକଙ୍କ ଜମି ଭାଗକୁ ନେଇ ଆରମ୍ଭ କରିଥିଲେ ଆଖୁଚାଷ । ପ୍ରାୟ ୧୫ ଗୁଣ୍ଠ ଜମିରେ ଏହି ଚାଷକରି ଇଂଜିନିୟରିଂ ପଢିବା ପାଇଁ ନିକଟସ୍ଥ ଭଦ୍ରକ ଇଂଜିନିୟରିଂ ସ୍କୁଲ ଆଣ୍ଡ ଟେକ୍‌ନୋଲୋଜିରେ ଡିପ୍ଲୋମା ଶ୍ରେଣୀରେ ନାମ ଲେଖାଇଥିଲେ ସେ । ଭାଗଚାଷରେ ହେଉଥିବା ଆଖୁକୁ ବିକ୍ରି କରିବା ବଦରେ ସଂଗ୍ରାମ ଏହାକୁ ନେଇ କିଛି ଭିନ୍ନ ଚିନ୍ତା କରିଥିଲେ । କିଛି ଟଙ୍କା ଯୋଗାଡ କରି ଏକ ଆଖୁରସ ମେସିନ୍ କିଣି ନିଜେ ପିତାଙ୍କ ସହ ବ୍ୟବସାୟ ଆରମ୍ଭ କରିଥିଲେ ।

ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ସଡକର ଅସୁରାଳି ବଜାର ନିକଟରେ ଏବେ ଦୈନିକ ଏହି କାମ କରୁଛନ୍ତି ଛାତ୍ର ସଂଗ୍ରାମ । ଆଖୁରସ ବିକ୍ରି କରି ଯେଉଁ ଦି’ ପଇସା ରୋଜଗାର ହେଉଛି, ସେଥିରେ ଘର ପ୍ରତିପୋଷଣ କରିବା ସହ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ତୁଲାଉଛନ୍ତି ସେ । ଇତିମଧ୍ୟରେ ଡିପ୍ଲୋମା ପାସ କରି ସେ ଭଦ୍ରକ ବରପଦାସ୍ଥିତ ଇଂଜିନିୟରିଂ କଲେଜ (ବିଆଇଇଟି) ରେ ବିଟେକ୍‌ରେ ନାମ ଲେଖାଇଛନ୍ତି । ପ୍ରତିଦିନ ସକାଳୁ ଜମିରୁ ଆଖୁ କାଟି କାନ୍ଧରେ ବୋହି ନିଜର ଦୋକାନ ପର୍ଯ୍ୟନ୍ତ ଆଣିବା ପରେ ବାପାଙ୍କ ସହ ମିଶି ପଥଚାରୀଙ୍କୁ ଆଖୁରସ ବିକ୍ରି କରୁଛନ୍ତି । ଏଭଳି ବ୍ୟସ୍ତତା ମଧ୍ୟରେ କେବେ ନିଜର ମୁଖ୍ୟ ଲକ୍ଷ୍ୟ ପଢାରୁ ବିଚ୍ୟୁତି ହୋଇନାହିଁ ତାଙ୍କର । ଘରଠାରୁ ୨୫ କିମି ଦୂରରେ ଥିବା ନିଜର ଶିକ୍ଷାନୁଷ୍ଠାନକୁ ସଠିକ୍ ସମୟରେ ଯିବା ସହ ପଢିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ସଂଗ୍ରାମର ମାଧ୍ୟମକୁ ବି ସେ ସମ୍ଭାଳିଛନ୍ତି । ଉଚ୍ଚଶିକ୍ଷା ନେଇ ଭବିଷ୍ୟତରେ ଭଲ ମଣିଷ ହେବା ସହ ଚାକିରୀର ଲକ୍ଷ୍ୟ ରଖିଥିବା ସଂଗ୍ରାମ ଆଖୁରସ ବିକିବାରେ କେବେ କୁଣ୍ଠା ପ୍ରକାଶ ନକରିବା ଘଟଣା ଆଜିର ଯୁବପିଢି ପାଇଁ ଏକ ନିଆରା ଉଦାହରଣ ନିଶ୍ଚୟ ।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: Odia Pua