ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା ଧମକ, ବିଦ୍ୟାଳୟରେ ତାଲା

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ପଳିକିର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ଘଟଣା ଭିନ୍ନ ମୋଡ ନେଇଛି । ଏହି ବିଦ୍ୟାଳୟ ପରିଚାଳନା କମିଟି ସଭାହପତି ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ନାମରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହେବା ପରେ କିଛି କମିଟି ସଦସ୍ୟ ଓ କର୍ମକର୍ତ୍ତା ସ୍କୁଲ ଗେଟ୍‌ରେ ତାଲା ପକାଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଭିତରକୁ ଛାଡିନଥିଲେ । ପରିଚାଳନା କମିଟିର ଉପ ସଭାନେତ୍ରୀ କାଞ୍ଚନବାଳା ପ୍ରଧାନଙ୍କ ନେତୃତ୍ୱରେ କେତେକ ମହିଳା ସଦସ୍ୟା ସକାଳ ୧୦ଟା ବେଳେ ସ୍କୁଲ ଫାଟକରେ ତାଲା ପକାଇଥିଲେ । ଫଳରେ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବାହାର ସଡକ ଉପରେ ବସିରହିଥିଲେ । ଏପରିକି ଆଜି ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାପାନି ଜ୍ୱରର ପ୍ରତିଶେଧକ ଟୀକାକରଣ ଥିବାବେଳେ ଏଥିପାଇଁ ଆସିଥିବା ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିଲା ।
ପ୍ରଧାନ ଶିକ୍ଷୟିତ୍ରୀ ମିଛ ଅଭିଯୋଗ କରି ଆମ୍ଭମାନଙ୍କ ନାମରେ ଥାନାରେ କେଶ୍ କରିଛନ୍ତି ବୋଲି ଅଭିଯୋଗ କରି ତାହା ପ୍ରତ୍ୟାହାର କରାନଗଲେ ତାଲାପକା ଆନ୍ଦୋଳନ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଆନ୍ଦୋଳନକାରୀ ଦାବି କରିଥିଲେ । ତେବେ ଦିନ ପ୍ରାୟ ୧୧ଟା ସମୟରେ ଶିକ୍ଷା କମିଟିର ଜନୈକ ସଭ୍ୟ ମଦନ ମୋହନ ମାଝୀ ତାଲା ପକାଇଥିବା ସଭ୍ୟ/ସଭ୍ୟାଙ୍କ ଉପରେ ବିରକ୍ତ ହୋଇ ରାସ୍ତାରେ ବସିଥିବା ନିଜ ପିଲାଙ୍କୁ ଘରକୁ ନେଇଯାଇଥିଲେ । ଏହାପରେ ବିଦ୍ୟାଳୟ ଗେଟ୍‌ରେ ତାଲା ଖୋଲାଯାଇଥିବାବେଳେ ଟୀକାକରଣ କାର୍ଯ୍ୟକ୍ରମ ହୋଇଥିଲେ ବି ଶ୍ରେଣୀଗୃହ ବନ୍ଦ ଥିବା ଯୋଗୁଁ କେବଳ ଟୀକାକରଣ ହୋଇଥିଲା ।

TheLogicalNews

Disclaimer: This story is auto-aggregated by a computer program and has not been created or edited by TheLogicalNews. Publisher: Odia Pua